ସଂଘର୍ଷକୁ ସାମନା ନକଲେ ସଫଳ
ମଣିଷଟିଏ ହେବା ଅସମ୍ଭବ
— ଦୂର୍ଗା ପ୍ରସାଦ ସାମନ୍ତରାୟ

ପ୍ରାଣୀର ଆରତ ଦୁଃଖ ଅପ୍ରମିତ ବେଳୁ ବେଳୁ କିବା ସହ୍ୟ,
ମୋ’ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।।
— ସନ୍ଥକବି ଭୀମ ଭୋଇ

ଉଚ୍ଚ ହେବା ପାଇଁ କର ଯେବେ ଆଶା,
ଉଚ୍ଚ କର ଆଗେ ନିଜ ମାତୃଭାଷା ।
— ଗଙ୍ଗାଧର ମେହେର

Durga Prasad Samantray

Editor & Publisher

Editorial

ନିଜେ ବୁଝିଗଲେ ହେଲା

ଘରେ ପିଲାଟିଏ ଜନ୍ମ ହେଲେ ମା’ବାପା ଅନେକ ସ୍ୱପ୍ନ ଦେଖୁଥାନ୍ତି । ପୁଅ ଆମ କାନ୍ଧର ବୋଝ ହାଲକା କରିବ ଏବଂ ଝିଅ ହୋଇଥିଲେ ବଡ଼ ହୋଇ ପରିବାର ନାଁ ରଖିବ ଭଳି ଅସୁମାରୀ ଆଶା ସେମାନଙ୍କ ମନରେ ଆପେ ଆପେ ବାନ୍ଧି ହୋଇଯାଇଥାଏ । କିନ୍ତୁ ସେହି ପିଲାମାନେ ଭବିଷ୍ୟତରେ କୁପଥଗାମୀ ହେଲେ କଥା ସରିଲା । ଆଜିକାଲି କଥା ସରିବା ପରି ଏଭଳି ଅନେକ ଘଟଣା ଘଟିଚାଲିଛି ଆମ ସମାଜରେ, ଯାହା ଉପରେ କାହାରି ନିୟନ୍ତ୍ରଣ ନାହିଁ କହିଲେ ଚଳେ ।

ଏଠି ଏଭଳି ଘଟଣା ବା ଅଘଟଣମାନ ପାଇଁ ଯଦିଓ ନିର୍ଦ୍ଦିଷ୍ଟ ଭାବେ କାହାକୁ ଦାୟୀ କରାଯାଇ ପାରିବ ନାହିଁ ତଥାପି ପାରିପାର୍ଶ୍ୱିକ ସ୍ଥିତି ପରିସ୍ଥିତି ଓ ମା’ବାପାଙ୍କୁ ଅନେକେ ଦୋଷ ଦେଇଥାନ୍ତି । କିନ୍ତୁ ସବୁ କଥାରେ ଅଭିଭାବକମାନଙ୍କ ଦୋଷ ନ ଥାଏ । ପିଲାମାନେ ନିଜେ ବୁଝିଗଲେ ହେଲା । ଯଦିଓ ସେମାନେ ସବୁ କଥା ବୁଝିବା ପାଇଁ ସକ୍ଷମ ନ ଥାନ୍ତି ତଥାପି ଅନେକ ସ୍ଥଳେ ନିଜେ ବୁଝିବାକୁ ଚେଷ୍ଟା କରିବା ଉଚିତ ।

ଏଠାରେ ଉପରୋକ୍ତ ପ୍ରସଙ୍ଗରେ ଏକ ସଦ୍ୟ ଘଟଣାର ଅବତାରଣା କରାଯାଇପାରେ । ଜଣେ ନାବାଳିକା ମୋବାଇଲ ଧରୁଥିଲେ । ମୋବାଇଲ ପ୍ରତି ତାଙ୍କ ଆସକ୍ତି ଏତେମାତ୍ରାରେ ବଢ଼ିଯାଇଥିଲା ଯେ ଘରଲୋକେ ଯେତେ ମନାକଲେ ବି ସେ ମାନୁ ନ ଥିଲେ । ଶେଷରେ ନାବାଳିକାଙ୍କ ରିଲ୍ ନିଶା ତାଙ୍କ ଜୀବନ ନେଲା । ଘର ଲୋକେ ତାଙ୍କ ହାତରୁ ମୋବାଇଲ ଛଡ଼ାଇ ନେବାରୁ ସେ ଭିତରପଟୁ କବାଟ ବନ୍ଦ କରି କୀଟନାଶକ ପିଇଦେଲେ । କବାଟ ଭାଙ୍ଗି ବନ୍ଦ ଘରୁ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯିବା ପରେ ଉଦଳା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୧୫ ବର୍ଷୀୟା ଝିଅଟି ଆଖି ବୁଜି ଦେଇଛନ୍ତି ।

ବାଲେଶ୍ୱର ଜିଲ୍ଲା ରାଜବରହମପୁର ଥାନା ଗବପାଳ ଗ୍ରାମରେ ଜୁଲାଇ ୨ ତାରିଖରେ ଘଟିଥିବା ଏହି ଘଟଣା ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି । ଏହା କେବଳ ଏକ ଦୃଷ୍ଟାନ୍ତ । ଏପରି ଅନେକ ଘଟଣା ଆମ ଆଖି ସାମ୍ନାରେ ପ୍ରତିଦିନ ଘଟୁଛି ।

ମୂଳ କଥା ହେଉଛି ଆଜିର ପିଲାମାନେ ଓ ଯୁବପିଢ଼ି କାହା କଥା ଶୁଣିବାକୁ ନାରାଜ । ସେମାନେ କୌଣସି ବିଷୟକୁ ନିଜ ଆଡ଼ୁ ବୁଝିବାକୁ ଚାହୁଁନାହାନ୍ତି, ଯାହାର କୁପରିଣତି ସେମାନଙ୍କୁ ଓ ପରିବାରକୁ ଭୋଗିବାକୁ ପଡୁଛି । ୪ ମାସ ତଳେ ରସୁଲଗଡ଼ ଜିଜିପି କଲୋନୀ ଅଞ୍ଚଳରେ ଘଟିଥିବା ଜଣେ ୟୁଟ୍ୟୁବର ତଥା ଯୁବ ବ୍ୟବସାୟୀଙ୍କ ଚାଞ୍ଚଲ୍ୟକର ହତ୍ୟାକାଣ୍ଡକୁ ନେଇ ଏବେ ମଧ୍ୟ ଚର୍ଚ୍ଚା ଥମିନାହିଁ ।

ସମ୍ପତ୍ତି ଘଟିଚାଲିଥିବା ଅନେକ ଅପରାଧ ପଛରେ ମୋବାଇଲ, ମଦ ଏବଂ ମନୋରଞ୍ଜନ ନାମରେ ହେଉଥିବା କାମୁକତାର ବିଷପାନ, ଗୁଣା ମନ୍ତବ୍ୟ ଆଦିକୁ ମୁଖ୍ୟ କାରଣ ରୂପେ ବିବେଚନା କରାଯାଉଛି । ଦିଗଭ୍ରଷ୍ଟ ଯୁବକ ଯୁବତୀ ନିଶାଗ୍ରସ୍ତ ହୋଇ ନାନା କାଣ୍ଡ ଭିଆଉଥିବାବେଳେ ଉଚ୍ଚ ଶିକ୍ଷିତା ମହିଳାମାନେ ମୋବାଇଲର ମାୟାଜାଲରେ ଛନ୍ଦି ହୋଇଗଲେଣି । ମୋବାଇଲ ଓ ଇଣ୍ଟରନେଟର ଅନେକ ଉପାଦେୟତା ରହିଥିବା ସତ୍ତ୍ୱେ ତା’ର ନକାରାତ୍ମକ ଦିଗଗୁଡ଼ିକୁ ଅଣଦେଖା କରାଯାଇପାରିବ ନାହିଁ । ରାଜ୍ୟ ତଥା ଦେଶର ସାମାଜିକ-ଅର୍ଥନୈତିକ ବିଚ୍ୟୁତି ପାଇଁ ଏସବୁ ପ୍ରେରିତ କରୁଥିବା ସମାଜବିଜ୍ଞାନୀମାନେ ମତ ଦିଅନ୍ତି ।

ତେବେ ମା’ବାପା କି ପରିବାରର ଅନ୍ୟ କେହି ବରିଷ୍ଠ ସଦସ୍ୟ ସେମାନଙ୍କୁ ବୁଝାଇବାକୁ କାହିଁକି ପଡୁଛି ? ସେମାନେ ନିଜେ କାହିଁକି ବୁଝିବାକୁ ଚାହୁଁନାହାନ୍ତି । ବାପା ହେଉଛନ୍ତି ଘରର ମୁରବୀ । ସେ କଷ୍ଟ କରି ଯେଉଁ ଦୁଇପରସା ଉପାର୍ଜନ କରନ୍ତି ସେଥିରେ ପରିବାର ଚଳେ । ମା’ ହେଉଛନ୍ତି ହୋମ୍‌ ମେକର ବା ପରିବାରକୁ ଗଢ଼ୁଥିବା ଗୃହିଣୀ । ବାପା ନିଜ କର୍ମସ୍ଥଳରେ ନିୟୋଜିତ ଥିବାବେଳେ ମା’ ପିଲାମାନଙ୍କୁ ଉପଯୁକ୍ତ ସଂସ୍କାର ଦେଇ ଲାଳନପାଳନ କରିଥାନ୍ତି ।

କିନ୍ତୁ ପିଲାମାନେ କମ୍ ବୟସରୁ ଯଦି ନିଜ ପ୍ରତି ଓ ଘର ପ୍ରତି ଉତ୍ତରଦାୟିତ୍ୱକୁ ବୁଝି ସୁଚାରୁ ରୂପେ ସମ୍ପାଦନ କରିବାକୁ ଅଗ୍ରସର ହେବେ ତେବେ ସେମାନଙ୍କ କ୍ୟାରିୟର ନିର୍ମାଣର ସୁଯୋଗ ପରିବ୍ୟାପ୍ତ ହେବା ସହ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପଥ ସୁଗମ ହୋଇଯିବ ।

ଏହି ପରିପ୍ରେକ୍ଷୀରେ ଆଜିର ଯୁବ ସମାଜ ସମ୍ମୁଖରେ ଗୁରୁଗଣ୍ୟ କରି ରଖିବାଯୋଗ୍ୟ ଅନେକ ଉଦାହରଣ ମହାନ୍ ଭାରତୀୟ ପରମ୍ପରାରେ ରହିଛି । ଚଣ୍ଡାଶୋକ ଦିନେ ନିଜ କୃତକର୍ମର ପରିଣାମକୁ ହୃଦୟଙ୍ଗମ କରି ଧର୍ମାଶୋକ ସାଜିଥିଲେ । ସେହିପରି ଦସ୍ୟୁ ରତ୍ନାକର ଦିନେ ବାଲ୍ମୀକି ସାଜି ରାମାୟଣର ରଚୟିତା ହୋଇପାରିଥିଲେ । ଅଶୋକ ଓ ବାଲ୍ମୀକିଙ୍କ ଭଳି ପରିବର୍ତ୍ତନ ଯଦିଓ ରାତାରାତି ସମ୍ଭବ ନୁହେଁ, ତଥାପି ଆଜି ଉଭୟଙ୍କ ଚରିତ୍ର ଆମ ସମସ୍ତଙ୍କ ପାଇଁ ଅନୁସରଣୀୟ ଓ ଅନୁକରଣୀୟ । କାହିଁକି ନା ଏହି ଦୁଇ ବଳିଷ୍ଠ ଚରିତ୍ରରୁ ଆମକୁ ଯେଉଁ ବଡ଼ ଶିକ୍ଷାଟି ମିଳେ; ତାହା ହେଉଛି ନିଜେ ବୁଝିଗଲେ ଅନ୍ୟମାନେ ବୁଝାଇବା ଅନାବଶ୍ୟକ । ଆମକୁ କେହି ଗୁରୁଜନ ବୁଝାଇ ସୁଝାଇ ବାଟକୁ ଆଣିବେ ବୋଲି ଅପେକ୍ଷା ନ କରି ନିଜ ଆଡ଼ୁ ପ୍ରତିଟି ସମସ୍ୟାକୁ ନିରେଖି ଦେଖନ୍ତୁ ।

ପରିଶେଷରେ ଚଳିତ ମାସର ସମ୍ପାଦକୀୟରେ ଏହି ବିଷୟବସ୍ତୁର ଅବତାରଣା ଆଗାମୀ ପିଢ଼ିକୁ ଦିଗ୍ଦର୍ଶନ ଦେବା ସହ ନିଜକୁ ସୁନାଗରିକ ରୂପେ ଗଢ଼ି ତୋଳିବାକୁ କିଞ୍ଚିତ ପ୍ରେରଣା ଯୋଗାଇଲେ ଆମ ପ୍ରୟାସ ସଫଳ ହୋଇଛି ବୋଲି ମନେକରିବୁ ।

July 2026

June 2026

April 2026

January 2026

December 2025

October 2025